
ଇକନୋମିକ୍ ଓଡ଼ିଶା ଡେସ୍କ; ବିଶ୍ୱଯୁଦ୍ଧ ଆଡ଼କୁ ମୁହାଁଁଇଲାଣି ମଧ୍ୟପ୍ରାଚ୍ୟ କଳି। ଇସ୍ରାଏଲ ଉପରେ ଇରାନର ମିଶାଇଲ ମାଡ଼ ପରେ ଦୁଇ ଦେଶ ଫେସ ଟୁ ଫେସ୍ ୱାର ଜୋନକୁ ପ୍ରବେଶ କରିଛନ୍ତି। ଏସବୁ ଭିତରେ ମିଲିଟାରି ପାୱାର ଇସ୍ରାଏଲକୁ ବିଶ୍ୱର ପରମଶକ୍ତି ଆମେରିକାର ସମର୍ଥନ ଯୁଦ୍ଧକୁ ଆହୁରି ସଂଗୀନ ରୂପ ଦେଇଛି। ଯାହାକୁ ନେଇ ବିଶ୍ୱବାସୀଙ୍କ ମନରେ ସୃଷ୍ଟି ହୋଇଛି ଅଜଣା ଆତଙ୍କ। ଆଜିର ସେୟାର ମାର୍କେଟ ସ୍ଥିତିି ଏହାର ବଡ଼ ପ୍ରମାଣ।
ଆଜି ଗୋଟିଏ ଦିନରେ ସେୟାର ବଜାରରେ 10 ଲକ୍ଷ କୋଟି ହରାଇ ହତାଶ ହୋଇଛନ୍ତି ନିବେଶକ। ଗୁରୁବାର ସେନ୍ସେକ୍ସ ୧୭୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିବା ବେଳେ ନିଫ୍ଟି ୫୪୬ ପଏଣ୍ଟ ଖସି ପହଞ୍ଚିଛି ୨୫,୨୫୦ରେ। ସବୁ କ୍ଷେତ୍ରରେ ବିପୁଳ ହ୍ରାସ ମୁଖ୍ୟ ସୂଚକାଙ୍କ ଉପରେ ପକାଇଛି ଗଭୀର ପ୍ରଭାବ।
୩୦ଟି ସେୟାର ବିଶିଷ୍ଟ ପ୍ରମୁଖ ସୂଚକାଙ୍କ ବିଏସଇ ସେନସେକ୍ସ ୧୭୬୯ ପଏଣ୍ଟ ବା ୨.୧% ହ୍ରାସ ପାଇ ୮୨,୪୯୭ରେ ବନ୍ଦ ହୋଇଥିବା ବେଳେ ଏନଏସଇ ନିଫ୍ଟି ୫୪୬ ପଏଣ୍ଟ ବା ୨.୧୨% ହ୍ରାସ ପାଇ ୨୫,୨୫୦ରେ ବନ୍ଦ ହୋଇଛି। ବିଏସଇରେ ସମସ୍ତ ତାଲିକାଭୁକ୍ତ କମ୍ପାନୀର ବଜାର ପୁଞ୍ଜି ୯.୭୧ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୪୬୫.୧୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।
ଇରାନ ଇସ୍ରାଏଲ ଉପରକୁ ବାଲିଷ୍ଟିକ୍ ମିଶାଇଲ ପ୍ରକ୍ଷେପଣ କରିବା ପରେ ନିବେଶକଙ୍କ ଚିନ୍ତା ବଢିଛି। ବିଶ୍ୱକୁ ତୈଳ ଯୋଗାଣର ପେଣ୍ଠସ୍ଥଳ ସାଜିଥିବା ଇରାନ ଉପରେ ଘନଉଥିବା ବଡ଼ ଯୁଦ୍ଧର ଆଶଙ୍କା ତୈଳ ଯୋଗାଣକୁ ଗମ୍ଭୀର ଭାବେ ପ୍ରଭାବିତ କରିପାରେ। ଯାହାକୁ ନେଇ ପୁରା ବିଶ୍ୱର ତୈଳ ବଜାର ପ୍ରଭାବିତ ହେବାର ଏକ ପ୍ରକାର ଡର ଦେଖା ଦେଲାଣି।
ଏସବୁ ଭିତରେ ବୈଶ୍ୱିକ ବଜାରରେ କ୍ର୍ୟୁଡ୍ ଅଏଲ ବା ଅଶୋଧିତ ତୈଳର ଦର ବୃଦ୍ଧିକୁ ନେଇ ଚିନ୍ତାରେ ସବୁ ଦେଶ। ମାତ୍ର ତିନି ଦିନରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ପାଞ୍ଚ ପ୍ରତିଶତ ବୃଦ୍ଧି ଘଟି ଏବେ 75 ଡଲାର ପ୍ରତି ବ୍ୟାରେଲ ରହିଛି। ଆଗକୁ ଏଥିରେ ଆହୁରି ବୃଦ୍ଧିର ମଧ୍ୟ ଆଶଙ୍କା ଦେଖା ଦେଇଛି। ତେବେ ଇରାନର ତେଲ କୂଅ ଏବଂ ଆଣବିକ କେନ୍ଦ୍ର ଉପରେ ବଡ଼ ଆକ୍ରମଣର ଯୋଜନା କରୁଥିବା ଇସ୍ରାଏଲକୁ ଚେତାବନୀ ଦେଇଛି ଆମେରିକା। ଯଦି ଏହି ସମ୍ବେଦନଶୀଳ ସ୍ଥାନ ଉପରେ ଇସ୍ରାଏଲଲ ଆକ୍ରମଣ କରେ ତେବେ ଆମେରିକା ନିଜ ସମର୍ଥନ କାଢ଼ିିନେବ ବୋଲି ଚେତାଇ ଦେଇଛନ୍ତି ଖୋଦ୍ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।
ଏ ଯୁଦ୍ଧ ସ୍ଥିତିର ଅନ୍ତ କେତେ ତାହା କେହି ଜାଣି ନାହାନ୍ତି। ଶତ୍ରୁକୁ ବର୍ବାଦ ନକରିବା ପର୍ଯ୍ୟନ୍ତ ଇସ୍ରାଏଲ ଯେ ପଛକୁ ହଟେନି ଏହା ଇସ୍ରାଏଲର ପୂର୍ବ ଆଭିମୁଖ୍ୟରୁ ସ୍ପଷ୍ଟ ହୋଇ ସାରିଛି। ପାଲେଷ୍ଟାଇନ, ଲେବାନନ ଭଳି ଦେଶ ସହ ଇସ୍ରାଏଲର ଯେଉଁଭଳି ଆଭିମୁଖ୍ୟ ରହିଛି ଯଦି ଇରାନ ସହ ମଧ୍ୟ ସାମନ ଢ଼ଙ୍ଗରେ ଆଗକୁ ଆସେ ତେବେ ଏହା ଯେ ଆଗାମୀ ଦିନରେ ବିଶ୍ୱର ମାନବବାଦର ଅସ୍ତିତ୍ୱ ପ୍ରତି ବିପଦ ନ ସୃଷ୍ଟି କରିବ ସେ କଥା କିଏ କହିବ।