
ଇକନୋମିକ୍ ଓଡ଼ିଶା ଡେସ୍କ; ଶେଷ ହୋଇଛି ହରିୟାଣା ଓ ଜମ୍ମୁ-କାଶ୍ମୀରର ବିଧାନସଭା ନିର୍ବାଚନ। ଆସନ୍ତା 8 ତାରିଖରେ ଫଳାଫଳ ଆସିବ। ତେବେ ଏହା ପୂର୍ବରୁ ଆସିସାରିଛି ବୁଥ୍ ବାହୁଡ଼ା ମତ ଅର୍ଥାତ୍ ଏକଜିଟ୍ ପୋଲ୍ ରିପୋର୍ଟ। ବିଭିନ୍ନ ସର୍ଭେ ସଂସ୍ଥାର ଏହି ରିପୋର୍ଟ ସଭିଙ୍କୁ ଚମକାଇ ଦେଇଛି।
ହରିୟାଣାରେ ଦୀର୍ଘ 10 ବର୍ଷ ପରେ କଂଗ୍ରେସ କ୍ଷମତାକୁ ଆସିବାର ସମ୍ଭାବନା ଦର୍ଶାଇଛି ଏହି ସର୍ଭେ ରିପୋର୍ଟ। ତେବେ କେଉଁ ସର୍ଭେ କେଉଁ ଦଳ ପାଇଁ କେତେ ସିଟ୍ ଆକଳନ କରିଛନ୍ତି ଦେଖନ୍ତୁ
କେଉଁ ମୁଦ୍ଦାକୁ ନେଇ ଭୋଟ୍ ଦେଲା ହରିୟାଣା
ଅଧିକାଂଶ ସର୍ଭେରେ ହରିୟାଣାରେ କଂଗ୍ରେସକୁ ବହୁମତ ମିଳୁଥିବା ନେଇ ଆକଳନ କରାଯାଇଛି। ତେବେ ଚଳିତ ଥର ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ମୈଦାନରେ ମୁହାଁମୁହିଁ ହୋଇଥିଲେ। ହରିୟାଣା ନିର୍ବାଚନରେ ଚଳିତ ଥର ପାନୀୟ ଜଳ ସଂକଟ, ଚାଷୀ ସମସ୍ୟା ଏବଂ ବେରୋଜଗାରୀ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୁଦ୍ଦା ଥିଲା।
ପାନୀୟ ଜଳ ସଂକଟ
ହରିୟାଣାରେ ବର୍ଷର ବିଭିନ୍ନ ସମୟରେ ପାନୀୟ ଜଳ ସଂକଟ ଦେଖା ଦେଉଥିବା ବେଳେ ଏହାକୁ ନେଇ ଅନେକ ବର୍ଷ ଧରି ରାଜନୀତି ଜାରି ରହିଛି। ଅଥଚ ସମସ୍ୟାର ସ୍ଥାୟୀ ସମାଧାନ ବାହାରି ପାରିନି। ଏବେ ବି ଗ୍ରୀଷ୍ମ ହେଉ କି ଶୀତ ପିଇବା ପାଣି ପାଇଁ ସଂଘର୍ଷ କରନ୍ତି ରାଜ୍ୟର ଅଧିକାଂଶ ପରିବାର।
ଚାଷୀଙ୍କୁ ପ୍ରତିଶ୍ରୁତି
ସେହିପରି 2019-2020ରେ ହୋଇଥିବା ଚାଷୀ ଆନ୍ଦୋଳନରେ ପଞ୍ଜାବ ସହ ହରିୟାଣାର ଅନେକ ଚାଷୀ ମଧ୍ୟ ନିଜ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇଥିଲେ। ନିଜ କୃଷି ଜାତ ସାମଗ୍ରୀର ସଂରକ୍ଷଣ, ଚାଷୀଙ୍କୁ ଦ୍ରବ୍ୟର ଉଚିତ୍ ଦାମ ସହ ସୁବିଧା ମଣ୍ଡି ବ୍ୟବସ୍ଥା ପ୍ରସଙ୍ଗ ସେତେବେଳେ ଜୋର୍ ଧରିଥିଲା। ତେବେ ସେ ସମୟରେ ଉଭୟ କେନ୍ଦ୍ର ଏବଂ ରାଜ୍ୟର ବିଜେପି ସରକାର ଚାଷୀଙ୍କୁ ସେମାନଙ୍କ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲେ। ଅଥଚ ଦୀର୍ଘ 4 ବର୍ଷ ପରେ ମଧ୍ୟ ଚାଷୀଙ୍କ ସେ ସବୁ ସମସ୍ୟା ଦୂର ହୋଇନଥିବା ଦେଖିବାକୁ ମିଳେ।
ଯୁବବର୍ଗଙ୍କୁ ରୋଜଗାର
ଏସବୁ ବ୍ୟତୀତ ଏଥରର ସବୁଠୁ ବଡ଼ ମୁଦ୍ଦା ଥିଲା ହରିୟାଣାରେ ସବୁଠୁ ଚିନ୍ତାଜନକ ସ୍ଥିତିରେ ଥିବା ବେରୋଜଗାରୀ। ରାଜ୍ୟରେ ଯୁବ ବର୍ଗଙ୍କୁ ରୋଜଗାର ନମିଳିବା ଏବଂ ରୋଜଗାର ଆଶାରେ ରାଜ୍ୟର ଯୁବବର୍ଗ ଅନୈତିକ ଉପାୟରେ ବିଦେଶ ଗମନ କରିବା ବା ଡଙ୍କି ମାରିିବା ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ଉଷ୍ମ କରିଥିଲା। ଏ ସବୁ ବ୍ୟତୀତ 10 ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେପି ସରକାର ପ୍ରତି ସୃଷ୍ଟି ହୋଇଥିବା ଆଣ୍ଟିଇନକମ୍ପାନ୍ସି ବା ଅସନ୍ତୋଷର ଫାଇଦା କଂଗ୍ରେସକୁ ମିଳିବାକୁ ଯାଉଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା।
ବିଜେପିରେ ଦଳୀୟ ଅନ୍ତର୍କନ୍ଦଳ
ହରିୟାଣା ନିର୍ବାଚନରେ ଚଳିତ ଥର ବିଜେପିରେ ଦେଖା ଦେଇଥିବା ଦଳୀୟ ଅନ୍ତର୍କନ୍ଦଳ ଦଳକୁ ଅନେକାଂଶରେ କ୍ଷତି ପହଞ୍ଚାଇଥିବା ଚର୍ଚ୍ଚା ହେଉଛି। ଟିକେଟ୍ ବଣ୍ଟନରେ ସ୍ଥାନୀୟ ସମୀକରଣକୁ ଅଣଦେଖା କରି ଦିଲ୍ଲୀରୁ ହୋଇଥିବା ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରିଥିଲେ ଅନେକ ଦଳୀୟ ନେତା। ଟିକଟ ବଣ୍ଟନ ପରେ ଅନେକ ବିଧାୟକ ଓ ମନ୍ତ୍ରୀଙ୍କ ଇସ୍ତଫା ଏହା ସ୍ପଷ୍ଟ କରିଥିଲା। ତେବେ ଏହି ସବୁ ନେତା ନିର୍ଦଳୀୟ ଲଢ଼ିବାକୁ ନେଇଥିବା ନିଷ୍ପତ୍ତି ବିଜେପି ପ୍ରତି ଶୁଭଙ୍କର ସାବ୍ୟସ୍ତ ହୋଇନି। ତେବେ ଦଳରେ ସୃଷ୍ଟି ହୋଇଥିବା ମତପାର୍ଥକ୍ୟ ଭୋଟ୍ ବିଭାଜନ କରିଥିବା ଦେଖିବାକୁ ମିଳିଥିଲା।
2019 ଓ 2014ରେ କଣ ଥିଲା ଫଳାଫଳ
2019ରେ ହରିୟାଣା ନିର୍ବାଚନରେ 40 ଆସନ ହାତେଇ ସରକାର ଗଢିଥିଲା ବିଜେପି। ଯେଉଁଠି କଂଗ୍ରେସକୁ 31, ଜେଜେପିକୁ 10 ଆସନ ମିଳିଥିଲା। ହରିୟାଣା ଲୋକହିତ ପାର୍ଟି ବା HLP ଗୋଟିଏ ଆସନରେ ସୀମିତ ରହିଥିଲା। ଏହି ଆସନ ଜିତିଥିଲେ ଦଳର ପ୍ରତିଷ୍ଠାତା ଗୋପାଳ କାଣ୍ଡା। 2014ରେ 47 ସିଟ୍ ଜିତି ବିଜେପି ସରକାର ଗଢ଼ିଥିବା ବେଳେ INLDକୁ 19 ଏବଂ କଂଗ୍ରେସକୁ 15ଟି ଆସନ ମିଳିଥିଲା। ସ୍ୱାଧୀନ ପ୍ରାର୍ଥୀମାନେ ୫ଟି ଆସନରେ ବିଜୟୀ ହୋଇଥିବା ବେଳେ କୁଲଦୀପ ବିଷ୍ଣାଇଙ୍କ ହରିୟାଣା ଜନହିତ କଂଗ୍ରେସ ୨ଟି ଏବଂ ଶିରୋମଣି ଅକାଳୀ ଦଳ ଗୋଟିଏ ଆସନରେ ବିଜୟୀ ହୋଇଥିଲା।