
ଇକନୋମିକ୍ ଓଡ଼ିଶା ଡେସ୍କ; ମାଆ ଦୁର୍ଗାଙ୍କ ନବଦିନାତ୍ମକ ପୂଜା ଶେଷ ହୋଇଚି। ଭକ୍ତଙ୍କ ଗହଣରୁ ଏବେ ମେଲାଣି ନେବେ ମାଆ। ଯାହକୁ ନଜରରେ ରଖି ରାଜଧାନୀରେ କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ।
ଭସାଣିକୁ ଶୃଙ୍ଖଳିତ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ଏ ଗାଇଡଲାଇନ ଜାରି କରାଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣ ସହ ଭିଡ଼ ନିୟନ୍ତ୍ରଣ ଫୋକସରେ ରହିଛି। ଭସାଣି ପାଇଁ କଟକଣା ଜାରି ହୋଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଟ୍ରାଫିକ ଡିସିପି ତାପସ ଦାସ।
ତାଙ୍କର ସୂଚନା ଅନୁଯାୟୀ, ଦିନ ୩ଟାରୁ ଭସାଣି ଶେଷ ହେବା ଯାଏଁ କଟକଣା ବଳବତ୍ତର ରହିବ। ମେଢଗୁଡ଼ିକ ଯିବାକୁ ଥିବା ମୁଖ୍ୟ ରାସ୍ତା ପାଇଁ ଟ୍ରାଫିକ ପକ୍ଷରୁ ଏଭଳି କଟକଣା ଜାରି ହୋଇଛି। ଭସାଣି ଶେଷ ଯାଏଁ ବାଣୀବିହାର-ରାଜମହଲ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ। ଖୋର୍ଦ୍ଧା ପଟୁ ଆସୁଥିବା ଗାଡ଼ି ସିଆରପି ଛକରୁ ଆଗକୁ ଆସିବ ନାହିଁ। ସିଆରପିରୁ ଏକାମ୍ର ଦେଇ ଜୟଦେବ ବିହାର ଦେଇ ଯାଇପାରିବେ ଯାତ୍ରୀ। ସେହିପରି ଭସାଣି ସମୟରେ କିଟରୁ ଜାଭିୟର ପର୍ଯ୍ୟନ୍ତ ରାସ୍ତା ମଧ୍ୟ ବନ୍ଦ ରହିବ। ଭସାଣି ସମୟରେ ଯେପରି ଅସୁବିଧା ନ ହୁଏ ସେଥିଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି।