
ଇକନୋମିକ୍ ଓଡ଼ିଶା ଡେସ୍କ; ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ ଆଇନ। ନ୍ୟାୟଦେବୀ(Nyay ki Devi)ଙ୍କ ଆଖିରୁ ହଟିଲା କଳାପଟି, ହାତରେ ଖଣ୍ଡା ବଦଳରେ ସମ୍ବିଧାନ ଧରିଥିବା ପ୍ରତିମୂର୍ତ୍ତି ହେବ ଭାରତୀୟ ନ୍ୟାୟ ଦେବୀଙ୍କ ନୂଆ ସ୍ୱରୂପ। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ପରାମର୍ଶରେ ନ୍ୟାୟଦେବୀଙ୍କ ସ୍ୱରୂପକୁ ବଦଳାଇ ଦିଆଯାଇଛି।
ପ୍ରଧାନ ବିଚାରପତିଙ୍କ ବିଚାରରେ, ଖଣ୍ଡା ହେଉଛି ହିଂସାର ପ୍ରତୀକ। କିନ୍ତୁ ଅଦାଲତଙ୍କ କାର୍ଯ୍ୟ ହିଂସାତ୍ମକ ନୁହେଁ। ବରଂ ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ଏହା ନ୍ୟାୟ ପ୍ରଦାନ କରିଥାନ୍ତି। ସେହିପରି ନ୍ୟାୟଦେବୀଙ୍କ ଆଖିରେ ବନ୍ଧା ଯାଉଥିବା କଳା କପଡ଼ାଟିକୁ ମଧ୍ୟ କାଢ଼ି ଦିଆଯାଇଛି। କିନ୍ତୁ ହାତରେ ଧରିଥିବା ନ୍ୟାୟ ତରାଜୁ ପୂର୍ବପରି ରହିଛି ।
କିଛିଦିନ ତଳେ ଭାରତ ସରକାର ଇଂରେଜ ଅମଳର ନ୍ୟାୟ ବ୍ୟବସ୍ଥାକୁ ବଦଳାଇ ଦେଇଥିଲେ। ଏବେ ନ୍ୟାୟଦେବୀଙ୍କ ସ୍ୱରୂପରେ ମଧ୍ୟ ପରିବର୍ତ୍ତନ ଅଣାଯାଇଛି। ପୂର୍ବରୁ ଥିବା ନ୍ୟାୟଦେବୀଙ୍କ ଆଖିରେ କଳାପଟି ଆଇନ ସମ୍ମୁଖରେ ସମାନତାକୁ ପ୍ରତିପାଦିତ କରୁଥିଲା, ଏହାର ଅର୍ଥ ହେଉଛି ଯେ, ଅଦାଲତ ଏହା ସମ୍ମୁଖରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ଧନ, ଶକ୍ତି କିମ୍ବା ଅନ୍ୟ ସ୍ଥିତି ବ୍ୟତିରେକ ତାଙ୍କ ବିରୋଧରେ ଥିବା ମାମଲାର ବିଚାର କରିବେ। ଅର୍ଥାତ୍ ଆଇନ ଆଗରେ ସଭିଙ୍କୁ ସମାନ ଭାବେ ଦେଖାଯିବ। ଯେତେବେଳେ କି ଖଣ୍ଡା ଅନ୍ୟାୟକୁ ଦଣ୍ଡିତ କରିବା କ୍ଷମତାର ପ୍ରତୀକ ଅଟେ।
ପ୍ରଧାନବିଚାରପତି ଚନ୍ଦ୍ରଚୂଡ଼ ବିଶ୍ୱାସ କରନ୍ତି ଯେ, ଭାରତରେ ଅନେକ ବ୍ରିଟିଶ ବ୍ୟବସ୍ଥାରେ ପରିବର୍ତ୍ତନ ହେଉଛି। ତେଣୁ ବ୍ରିଟିଶ ଅମଳରୁ ଚାଲି ଆସୁଥିବା ନ୍ୟାୟ ଦେବୀଙ୍କ ସ୍ୱରୂପକୁ ମଧ୍ୟ ପରିବର୍ତ୍ତନ କରିବାର ଆବଶ୍ୟକତା ଥିଲା। ନ୍ୟାୟ ବ୍ୟବସ୍ଥା ଅନ୍ଧ ନୁହେଁ, ଏହା ସଭିଙ୍କୁ ସମାନ ଭାବରେ ଦେଖେ।