
ଏଥର ଚକୋଲେଟ୍ ବିକିବେ ଆଦାନୀ। ଏନେଇ ହୋଇଛି ୨ ଶହ କୋଟି ଟଙ୍କାର ଡିଲ୍। ଏହା ମାଧ୍ୟମରେ ଉପୋଭୋକ୍ତା ବଜାରରେ ନିଜ କାରବାର ବୃଦ୍ଧି ପାଇଁ କମ୍ପାନୀର ଲକ୍ଷ୍ୟ।
ଆଦାନୀ ଗ୍ରୁପର ଫ୍ଲାଗସିପ୍ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସର ମିଳିତ ଉଦ୍ୟୋଗ କୋକୋକାର୍ଟ ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ (CVPL)ର ୭୪% ଅଂଶଧନ କିଣିବ। ଶୁକ୍ରବାର କମ୍ପାନୀ ଏହି ସୂଚନା ଦେଇଛି। ଆଦାନୀ ଏଣ୍ଟରପ୍ରାଇଜେସର ଏକ ସହଯୋଗୀ ସଂସ୍ଥା ଆଦାନୀ ଏୟାରପୋର୍ଟ ହୋଲ୍ଡିଂସ୍ ଲିମିଟେଡ୍ (AAHL)ର ମିଳିତ ଉଦ୍ୟୋଗ ଏପ୍ରିଲ୍ ମୁନ୍ ରିଟେଲ୍ ପ୍ରାଇଭେଟ୍ ଲିମିଟେଡ୍ (AMPL) ଏହି ଅଂଶଧନ କିଣିବ।
୨୦୦ କୋଟି ଟଙ୍କାର ଏହି ଡିଲ୍ ସେୟାର କ୍ରୟ ଏବଂ ସବସ୍କ୍ରିପ୍ସନ୍ ଚୁକ୍ତି ମାଧ୍ୟମରେ କରାଯିବ। ଏହି ଅଧିଗ୍ରହଣ ପାଇଁ ସେୟାର କ୍ରୟ ଚୁକ୍ତି (SPA), ସେୟାର ସବସ୍କ୍ରିପ୍ସନ୍ ଚୁକ୍ତିନାମା (SSA) ଏବଂ ଯୁଗ୍ମ ଉଦ୍ୟୋଗ ଚୁକ୍ତି (JVA) ୨୭ ସେପ୍ଟେମ୍ବର ୨୦୨୪ରେ ସ୍ୱାକ୍ଷରିତ ହୋଇଛି ।
ସେୟାର କ୍ରୟ ଚୁକ୍ତି ଅନୁଯାୟୀ, ଏପ୍ରିଲ ମୁନ୍ ରିଟେଲ ୧୪,୭୩,୫୧୮ ସେୟାର କିଣିବ, ଯାହା କୋକୋକାର୍ଟ ଭେଞ୍ଚର୍ସର ୩୬.୯୬% ଇକ୍ୱିଟି ଅଂଶଧନ ଅଟେ । ସେୟାର ସବସ୍କ୍ରିପ୍ସନ୍ ଚୁକ୍ତି ଅନୁଯାୟୀ, ଏପ୍ରିଲ ମୁନ୍ ରିଟେଲ୍ ୧୪,୭୬,୪୭୧ ସେୟାର ସବସ୍କ୍ରାଇବ କରିବ, ଯାହା କୋକୋକାର୍ଟ ଭେଞ୍ଚର୍ସର ୩୭.୦୪% ଇକ୍ୱିଟି ଅଂଶଧନ ସହ ସମାନ। ଏହି ଚୁକ୍ତି ଅକ୍ଟୋବର ୩୧ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି।
ଏହି କ୍ରୟ ଆଦାନୀ ଗ୍ରୁପର ରିଟେଲ ବ୍ୟବସାୟକୁ ବିସ୍ତାର କରିବ । ଏହା ମାଧ୍ୟମରେ ଆଦାନୀ ଏଣ୍ଟରପ୍ରାଇଜେସ୍ ରିଟେଲ ଏବଂ ଫୁଡ୍ ବେବରେଜ୍ କ୍ଷେତ୍ରରେ ପ୍ରବେଶ କରିବ। ସେପ୍ଟେମ୍ବର ୨୦୨୦ରେ କରଣ ଏବଂ ଅର୍ଜୁନ ଆହୁଜା ଙ୍କ ଦ୍ୱାରା କୋକୋକାର୍ଟ ଭେଞ୍ଚର୍ସ ଆରମ୍ଭ ହୋଇଥିଲା ।
କୋକକାର୍ଟ ଭେଞ୍ଚର୍ସ ବିଦେଶରୁ ଆମଦାନୀ କରି ଭାରତରେ ଚକୋଲେଟ୍ ବିକ୍ରି କରିଥାଏ। ସାରା ଦେଶରେ ଏହାର କାଫେ ରହିଛି। ଏହାର କାରବାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ୨୦୨୧ ଆର୍ଥିକ ବର୍ଷରେ ଏହାର କାରବାର ୬.୮୯ କୋଟି ଟଙ୍କା ଥିଲା, ଯାହା ୨୦୨୨ ଆର୍ଥିକ ବର୍ଷରେ ୫୧.୬୧ କୋଟି ଟଙ୍କା ଏବଂ ପରେ ୨୦୨୩ ଆର୍ଥିକ ବର୍ଷରେ ୯୯.୬୩ କୋଟି ଟଙ୍କାରେ ପହଞ୍ଚିଯାଇଛି।