
ଇକନୋମିକ୍ ଓଡ଼ିଶା ଡେସ୍କ: ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ବର୍ଷର ଶେଷ ମାସର ପୂର୍ବ ମାସ ହେଉଛି ନଭେମ୍ବର। ଏହି ମାସର ପ୍ରଥମ ସପ୍ତାହରୁ ବଦଳିବାକୁ ଯାଉଛି ଅନେକ ନିୟମ। ଯାହା ଆପଣ ଜାଣିରଖିବା ନିହାତି ଜରୁରୀ।
ଆପଣଙ୍କ କ୍ରେଡିଟ୍ କାର୍ଡର ପେମେଣ୍ଟ ସିଷ୍ଟମରେ ପରିବର୍ତ୍ତନ ସହ ଗ୍ୟାସ ଦର, ଟ୍ରେନ ଟିକେଟ ବୁକିଂ, FD ଡେଡଲାଇନ ଭଳି ବିଭିନ୍ନ କ୍ଷେତ୍ରର ନିୟମରେ ପରିବର୍ତ୍ତିତ ନିୟମ ଅନୁଯାଇ କାମ ହେବ।
ପ୍ରଥମ ପରିବର୍ତ୍ତନ – LPG ସିଲିଣ୍ଡର ଦର
ଦୀପାବଳି ପରଠୁ LPG Cylinder ଦରରେ ପରିବର୍ତ୍ତନ ହେବାର ଆଶା ଦେଖାାଉଛି। ପ୍ରତିମାସରେ ପେଟ୍ରୋଲିୟମ କମ୍ପାନୀ ଗ୍ୟାସ ସିଲିଣ୍ଡିର ଦରରେ ପରିବର୍ତ୍ତନ କରି ନୂଆ ଦର ଜାରି କରିଥାନ୍ତି। ନଭେମ୍ବରରେ ଏଥିରେ ପରିବର୍ତ୍ତନାର ଆଶା ରଖିଛନ୍ତି ଉପଭୋକ୍ତା। ରୋଷେଇ ଗ୍ୟାସ୍ ସିଲିଣ୍ଡରର ଦର ଦୀର୍ଘ ମାସ ହେବ ସ୍ଥିର ରହିଛି। ଚଳିତ ଥର ପେଟ୍ରୋଲିୟମ କମ୍ପାନୀ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ଏହାର ଦାମ ହ୍ରାସ କରିବା ନେଇ ନିଷ୍ପତ୍ତି ନେଇ ପାରନ୍ତି। କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ଗଲା ଜୁଲାଇ ମାସରେ ହ୍ରାସ ପାଇଥିଲେ ମଧ୍ୟ ଲଗାତାର ତିନି ମାସ ହେବ ବଢି ବଢି ଚାଲିଛି। 19 କେଜିର ଗ୍ୟାସ ସିଲିଣ୍ଡର ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିପାରେ।
2ୟ ପରିବର୍ତ୍ତନ – ATF ସହିତ CNG-PNG ଦର
ଅୟେଲ ମାର୍କେଟିଂ କମ୍ପାନୀ LPG Gas Cylinder ଦରରେ ପରିବର୍ତ୍ତନ ସହ CNG-PNG ଏବଂ ଏୟାର ଟର୍ବାଇନ ଫୁଏଲ(ATF) ଦରରେ ପରିବର୍ତ୍ତନ କରିଥାନ୍ତି। ଗଲା କିଛି ମାସ ହେବ ଲଗାତାର ATF ଶସ୍ତା ହୋଇ ଚାଲିଛି। ଚଳିତ ଥର ଦୀପାବଳି ଅକ୍ଟୋବର ଶେଷରେ ପଡୁଥିବାରୁ ନଭେମ୍ବର ପହିଲାରୁ ସରକାର ଉପଭୋକ୍ତାଙ୍କୁ ତେଲ ଦର ହ୍ରାସ କରି ଦୀପାବଳି ଗିପ୍ଟ ଦେଇପାରନ୍ତି।
3ୟ ପରିବର୍ତ୍ତନ – କ୍ରେଡିଟ୍ କାର୍ଡ ନିୟମ
ଏବେ କଥା ହେବା 1 ନଭେମ୍ବରରୁ ଦେଶରେ ହେବାକୁ ଥିବା ସବୁଠୁ ବଡ଼ ପରିବର୍ତ୍ତନ ବିଷୟରେ ଯାହା ଦେଶର ଏକ ସରକାରୀ ବ୍ୟାଙ୍କ ସହ ଜଡ଼ିତ। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ର ସବସିଡିଆରୀ SBI Card ନଭେମ୍ବର ପହିଲାରୁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛି। କ୍ରେଡିଟ୍ କାର୍ଡ ମାଧ୍ୟମରେ ୟୁଟିଲିଟି ବିଲ୍ ପେମେଣ୍ଟ ଏବଂ ଫାଇନାନ୍ସିଆଲ ଚାର୍ଜେସ ଉପରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ। 1 ନଭେମ୍ବରରୁ ଅନ ସିକ୍ୟୋର୍ଡ SBI Credit Card ଉପରେ ଏଣିକି ପ୍ରତି ମାସ 3.75 ଟଙ୍କା ଫାଇନାନ୍ସିଆଲ ଚାର୍ଜେସ୍ ଦେବାକୁ ହେବ। ଏହା ବ୍ୟତୀତ ବିଦ୍ୟୁତ୍, ପାଣି, LPG ଗ୍ୟାସ ସିଲିଣ୍ଡର୍ ସମେତ ଅନ୍ୟ ୟୁଟିଲିଟି ବିଲ୍ ପେମେଣ୍ଟ ଉପରେ 50 ହଜାର ଟଙ୍କାରୁ ଅଧିକ ପେମେଣ୍ଟ କଲେ 1% ଅଧିକ ଚାର୍ଜ ଲାଗିବ।
4ର୍ଥ ପରିବର୍ତ୍ତନ – ମନି ଟ୍ରାନ୍ସଫର୍
ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ଘରୋଇ ମନି ଟ୍ରାନ୍ସଫର୍(DMT) କ୍ଷେତ୍ରରେ ନୂଆ ନିୟମ ଘୋଷଣା କରିଛି। ଏହି ନିୟମ 1 ନଭେମ୍ବରରୁ ଲାଗି ହେବାକୁ ଯାଉଛି। ଅନଲାଇନ ଫ୍ରଡ୍ ଏବଂ ଠକାମିରେ ବ୍ୟାଙ୍କର ବିଭିନ୍ନ ପ୍ରଣାଳୀର ଅବୈଧ ବ୍ୟବହାରକୁ ରୋକିବା ଦିଗରେ ଏହି ନିୟମ କାର୍ଯ୍ୟକାରୀ ହେବ।
5ମ ପରିବର୍ତ୍ତନ – ଟ୍ରେନ ଟିକେକ ବୁକିଂ
ଭାରତୀୟ ରେଳର ଆଡଭାନ୍ସଡ୍ ରିଜର୍ଭେସନ ପିରିୟଡ(ARP), ଯେଉଁଥିରେ ଯାତ୍ରାର ନିୟମ ସାମିଲ ନାହିଁ, ଏହା ନଭେମ୍ବର ପହିଲାରୁ ଲାଗୁ ହେବ। 1 ନଭେମ୍ବର 2024ରୁ ଏବେ ଆଡଭାନ୍ସ ବୁକିଂ ପିରିୟଡ 60 ଦିନ ହୋଇଯିବ। ପୂର୍ବରୁ ଏହା 120 ଦିନ ଥିଲା। ଟିକେଟ କ୍ରୟର ବ୍ୟବସ୍ଥାକୁ ଆହୁରି ଷ୍ଟ୍ରିମଲାଇନ କରି ଯାତ୍ରୀଙ୍କୁ ସୁବିଧା ଯୋାଇବା ଉଦ୍ଦେଶ୍ୟରେ ଏହି ସଂଶୋଧନ କରାଯାଇଛି।
6ଷ୍ଠ ପରିବର୍ତ୍ତନ – 13 ଦିନ ବନ୍ଦ ରହିବ ବ୍ୟାଙ୍କ କାମ
ନଭେମ୍ବରରେ ବିଭିନ୍ନ ପର୍ବପର୍ବାଣୀ ସମେତ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହି ସମୟରେ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଆପଣଙ୍କ ଅଞ୍ଚଳର କ୍ୟାଲେଣ୍ଡର ସହ ଆପଣଙ୍କ ଅଞ୍ଚଳରେ ଥିବା ବ୍ୟାଙ୍କର ହଲିଡେ ଲିଷ୍ଟ ବୁଝି ରଖନ୍ତୁ। ଯାହା ଫଳରେ ଆପଣଙ୍କୁ ବ୍ୟାଙ୍କିଂ ସୁବିଧା ନେବାରେ ଯେପରି କୌଣସି ଅସୁବିଧା ନହେବ।