
ଇକନୋମିକ୍ ଓଡ଼ିଶା ଡେସ୍କ; HPZ ଟୋକନ୍ ମୋବାଇଲ୍ ଆପ୍ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗୁରୁବାର ଗୌହାଟୀରେ ତମନ୍ନା ଭାଟିଆଙ୍କୁ ଇଡି ପଚରାଉଚରା କରିଛି। HPZ ଟୋକନ୍ ଆପ୍ ସହ ଜଡ଼ିତ ଏକ କାର୍ଯ୍ୟକ୍ରମରେ ସେଲିବ୍ରିଟିଙ୍କ ଉପସ୍ଥିତି ପାଇଁ ତମନ୍ନାଙ୍କୁ ଟଙ୍କା ମିଳିଥିଲା। ଏହି ଆପ୍ ଜରିଆରେ ଲୋକଙ୍କୁ ବିଟ୍ କଏନ୍ ଓ କ୍ରିପ୍ଟୋକରେନ୍ସି ନାମରେ ଠକେଇ କରାଯାଉଥିବା ଅଭିଯୋଗ ରହିଛି।
ପିଟିଆଇର ଏକ ରିପୋର୍ଟ ମୁତାବକ, HPZ ଟୋକନ୍ ଆପ୍ ସହ ଜଡ଼ିତ ଏକ କାର୍ଯ୍ୟକ୍ରମରେ ‘ସେଲିବ୍ରିଟି ଆପିୟରାନ୍ସ’ ବା ଅଭିନେତ୍ରୀଙ୍କ ଉପସ୍ଥିତି ପାଇଁ ତମନ୍ନା ଭାଟିଆଙ୍କୁ ଟଙ୍କା ମିଳିଥିଲା। ତେବେ ତମନ୍ନାଙ୍କ ବିରୋଧରେ କୌଣସି ଗୁରୁତର ଅଭିଯୋଗ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ପୂର୍ବରୁ ମଧ୍ୟ ତାଙ୍କୁ ଡକାଯାଇଥିଲା, କିନ୍ତୁ କାମ ଯୋଗୁଁ ସେ ଯାଇ ପାରିନଥିଲେ, ତେଣୁ ବର୍ତ୍ତମାନ ତମନ୍ନା ଗୁରୁବାର ଆସାମର ଗୌହାଟୀସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ।
HPZ ଟୋକନ ଆପ୍ କ’ଣ ?
HPZ ଟୋକନ୍ ଆପ୍ ହେଉଛି ଏକ ମୋବାଇଲ୍ ଆପ୍ ଯେଉଁଥିରେ ବିଭିନ୍ନ ପ୍ରକାରର ଗେମ୍ ରହିଛି। ଏହି ଆପ୍ ଜରିଆରେ ୫୭ ହଜାର ଟଙ୍କା ବିନିଯୋଗରେ ପ୍ରତିଦିନ ୪ ହଜାର ଟଙ୍କା ମିଳିବାର ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଠକେଇ ପାଇଁ ବିଭିନ୍ନ ବ୍ୟାଙ୍କରେ ନକଲି ଆକାଉଣ୍ଟ ଖୋଲାଯାଇଥିଲା, ଯେଉଁଥିରେ ନିବେଶକଙ୍କଠାରୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ଅଭିଯୁକ୍ତ ମାନେ ସେହି ଟଙ୍କାକୁ କ୍ରିପ୍ଟୋ ଏବଂ ବିଟକଏନରେ ବିନିଯୋଗ କରିଥିଲେ ଏବଂ ମହାଦେବ ବେଟିଂ ଆପ୍ ଭଳି ଅନେକ ବେଟିଂ ଆପରେ ଟଙ୍କା ବିନିଯୋଗ କରିଥିଲେ ।
ମହାଦେବ ବେଟିଂ ଆପ୍ ମାମଲାରେ ତମନ୍ନା ଭାଟିଆଙ୍କ ନାଁ ମଧ୍ୟ ଆସିଛି। ତମନ୍ନାଙ୍କ ବ୍ୟତୀତ ଅଭିନେତା ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଭଳି ୧୭ ଜଣ ତାରକାଙ୍କୁ ଗତବର୍ଷ ଏହି ମାମଲାରେ ପଚରାଉଚରା କରାଯାଇଥିଲା। ସେମାନେ ସମସ୍ତେ ଏହି ଆପକୁ ପ୍ରମୋଟ୍ କରି ଏହାର ବିଜ୍ଞାପନରେ ସ୍ଥାନ ପାଇଥିବା ଅଭିଯୋଗ ହୋଇଥିଲା। ଏଥିସହିତ HPZ ଆପର ମହାଦେବ ବେଟିଂ ଆପ୍ ସହ ମଧ୍ୟ ଲିଙ୍କ୍ ଥିବା ଅଭିଯୋଗ ରହିଛି।