
ଇକନୋମିକ୍ ଓଡ଼ିଶା ଡେସ୍କ; ୩ ମ୍ୟାଚ୍ ବିଶିଷ୍ଟ T20 ଶୃଙ୍ଖଳାର ପ୍ରଥମ ମ୍ୟାଚରେ ରବିବାର ଭାରତ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଛି। ଗ୍ୱାଲିୟରର ମାଧବରାଓ ସିନ୍ଧିଆ ଷ୍ଟାଡିୟମରେ ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ୧୯ ଓଭର ୫ ବଲରେ ୧୨୭ ରନ୍ କରିଥିଲା। ଏହି ଲକ୍ଷ୍ୟକୁ ଭାରତ ୧୧ ଓଭର ୫ ବଲରେ ୩ ଓ୍ଵିକେଟ୍ ହରାଇ ହାସଲ କରିନେଇଥିଲା।
ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୱିନିଂ ସିକ୍ଲ ବା ବିଜୟୀ ଛକା ମାରିଥିଲେ। ଏହାର ଠିକ୍ ପୂର୍ବ ବଲରେ ସେ ଲଙ୍ଗ୍ ସଟ୍ ଖେଳିବା ବେଳେ ତାଙ୍କ ହାତରୁ ବ୍ୟାଟ୍ ଛାଡ଼ି ଯାଇଥିଲା। ଦ୍ୱାଦଶ ଓଭରରେ ୩ଟି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା। ହାର୍ଦ୍ଦିକ ଓଭରର ତୃତୀୟ ବଲରେ ୱିକେଟ୍ କିପରଙ୍କ ଉପରେ ନୋ ଲୁକ୍ ସଟ୍ ଖେଳିଥିଲେ, ଯାହା ଏକ ଚୌକା ଥିଲା। ତାସ୍କିନ୍ ଅହମ୍ମଦ ଏକ ସର୍ଟ ପିଚ୍ ବଲ୍ ବୋଲିଂ କରିଥିଲେ, ଯେଉଁଥିରେ ହାର୍ଦ୍ଦିକ ଚମତ୍କାର ଅପର କଟ୍ ସଟ୍ ଖେଳି ବାଉଣ୍ଡ୍ରି ସଂଗ୍ରହ କରିଥିଲେ।
ସେହି ଓଭରର ଚତୁର୍ଥ ବଲକୁ ତାସ୍କିନ୍ ଅଫ୍ ସାଇଡ୍ ବାହାରେ ବୋଲିଂ କରିଥିଲେ। ହାର୍ଦ୍ଦିକ ଏହାକୁ ପଏଣ୍ଟ ଏବଂ ସର୍ଟ ଥାର୍ଡ ମ୍ୟାନଙ୍କ ମଧ୍ୟରେ ମାରିଥିଲେ। ତେବେ ଏହି ସଟ୍ ଖେଳୁଥିବା ବେଳେ ତାଙ୍କ ହାତରୁ ବ୍ୟାଟ ଖସି ଲେଗ୍ ଅମ୍ପାୟାରଙ୍କ ପାଖରେ ପଡ଼ିଥିଲା।
ଦ୍ୱାଦଶ ଓଭରର ପଞ୍ଚମ ବଲରେ ତାସ୍କିନ୍ ଅହମ୍ମଦଙ୍କ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ମିଡ୍ ଓ୍ଵିକେଟ୍ ଦିଗରେ ଛକା ମାରିଥିଲେ। ଏହା ସହ ଦଳ ୭ ୱିକେଟରେ ମ୍ୟାଚ୍ ଜିତି ନେଇଥିଲା। ହାର୍ଦ୍ଦିକ ୧୬ ବଲରେ ୩୯ ରନ୍ କରିଥିବା ବେଳେ ସେ ୫ଟି ଚୌକା ଓ ୨ଟି ଛକା ମାରିଥିଲେ। ତାଙ୍କ ସହ ନୀତୀଶ କୁମାର ରେଡ୍ଡୀ ୧୫ ରନ୍ କରିଥିଲେ।