
ମଧ୍ୟ ପ୍ରାଚ୍ୟ କଳି ଏବେ ବିଶ୍ୱଯୁଦ୍ଧ(World War)କୁ ଆମନ୍ତ୍ରଣ କରିଛି। ପାଲେଷ୍ଟାଇନ ପରେ ଲେବାନନ ଆଉ ଏବେ ଇରାନ ସହ ଫେସଟୁ ଫେସ୍ ୱାର ଆରମ୍ଭ କରିଛି ଇସ୍ରାଏଲ। ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାହର ମୁଖ୍ୟକୁ ଇସ୍ରାଏଲ ହତ୍ୟା କରିବା ପରେ ଏହା ଆହୁରି ସାଂଘାତିକ ରୂପ ନେଇଛି। ଇସ୍ରାଏଲ ଉପରେ ରାତି ଅଧିଆ 2 ଶହ ମିଶାଇଲ୍ ମାଡ଼ କରି ଇରାନ ଦେଇଛି ଖୋଲା ଚ୍ୟାଲେଞ୍ଜ।
ଏହି ଆକ୍ରମଣକୁ ଗୁରୁତର ସହ ନେଇଛି ଇସ୍ରାଏଲ(Israel)। ଏନେଇ ଇରାନ(Iran) ଭୟଙ୍କର ପରିଣାଣ ଭୋଗିବ ବୋଲି କହିଛନ୍ତି ଇସ୍ରାଏଲ ପିଏମ ବେଞ୍ଜାମିନ ନେତାନ୍ୟାହୁ। ଏ ସବୁ ଭିତରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଇରାନ ଆକ୍ରମଣକୁ ନିନ୍ଦା କରି ଇସ୍ରାଏଲ ସମର୍ଥନରେ ଖୋଲାଖୋଲି ମୈଦାନକୁ ଓହ୍ଲାଇଛି ବିଶ୍ୱର ପରମଶକ୍ତି କୁହାଯାଉଥିବା ଆମେରିକା(USA)। ଇରାନକୁ ଆକ୍ରମଣରୁ ଦୂରେଇ ରହିବାକୁ ଚେତାବନୀ ଦେବା ସହ ଇସ୍ରାଏଲକୁ ସମର୍ଥନ ଜଣାଇ ଯୋଗାଇ ଦେଇଛି ସାମରିକ ସହାୟତା। ଯାହା ପୁଣି ଏକ ବିଶ୍ୱଯୁଦ୍ଧକୁ ନିମନ୍ତ୍ରଣ ଦେଇଛି ବୋଲି ଚର୍ଚ୍ଚା।
ଏକ୍ସରେ ଟ୍ରେଣ୍ଡ୍ କରୁଛି ୱାର୍ଲ୍ଡ୍ ୱାର୍ ଥ୍ରି
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(X)ରେ ଏବେ ଥାର୍ଡ ୱାର୍ଲ୍ଡ ୱାର୍(Third World War) ଟ୍ରେଣ୍ଡିଂ(Trending) ହେବାରେ ଲାଗିଛି। କେହି କେହି ତୃତୀୟ ବିଶ୍ୱ ଯୁଦ୍ଧ ଆରମ୍ଭ ହୋଇଗଲା ବୋଲି ଲେଖୁଥିବା ବେଳେ କେହି କେହି ଲେଖୁଛନ୍ତି ଏହା ମାତ୍ର ଆରମ୍ଭ। ରୁଷିଆର ଭୂମିକାକୁ ନେଇ ଏବେଠୁ ଅନେକ ତର୍କ ବିତର୍କ ବି ଆରମ୍ଭ ହେଲାଣି। ଆମେରିକାର ପାରମ୍ପରିକ ଶତ୍ରୁ ରୁଷିଆ ଏହି ମଧ୍ୟପ୍ରଚ୍ୟ କଳିରେ କାହାକୁ ସମର୍ଥନ ଜଣାଉଛି ତା ଉପରେ ଏବେ ପୁରା ବିଶ୍ୱର ନଜର। କାରଣ ଯଦି ରୁଷିଆ ଇରାନ ସମର୍ଥନରେ ବାହାରକୁ ଆସେ ତେବେ ଏହି ସିଧା ବିଶ୍ୱର ଦୁଇ ମହା ଶକ୍ତି ଆମେରିକା ଓ ରୁଷିଆକୁ ପୁଣି ଥରେ ଆମ୍ନାସାମ୍ନାରେ ଛିଡ଼ା କରିଦେବ। ଏମିତି ହେଲେ ଆଗାମୀ ଦିନରେ ଆଉ ଏକ ବିଶ୍ୱଯୁଦ୍ଧର ଆଶଙ୍କାକୁ କେହି ଏଡ଼ାଇ ଦେଇ ପାରିବେନି।
ଟ୍ରମ୍ପଙ୍କ ଚେତାବନୀ
ଏହାରି ଭିତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଆଗାମୀ ରାଷ୍ଟ୍ରପତି ନିର୍ବାଚନର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଆଶଙ୍କା କରିଛନ୍ତି ଓ ସେଥିପାଇଁ ତାଙ୍କର ପ୍ରତିପକ୍ଷ ମାର୍କିନ ରାଷ୍ଟ୍ରପତି ଜୋ ବିଡେନ୍ ଏବଂ ତାଙ୍କର ସହଯୋଗୀ କମଳା ହାରିସ୍ଙ୍କୁ ଦାୟୀ କରିଛନ୍ତି।
ସାଉଦି ଆରବର ଦୁଶମନ୍ ଇରାନ
ମଧ୍ୟ ପ୍ରାଚ୍ୟରେ ଇରାନ ଓ ସାଉଦି ଆରବ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଛି। ସାଉଦି ଆରବ ହେଉଛି ସଂଖ୍ୟାବହୁଳ ସୁନ୍ନି ମୁସଲମାନଙ୍କ ଦେଶ। ଇରାନ ହେଉଛି ସଂଖ୍ୟାବହୁଳ ଶିଆ ମୁସିଲିମ ରାଷ୍ଟ୍ର। ସାଉଦି ଆରବ ସପକ୍ଷରେ ଅଛନ୍ତି ଆମେରିକା ଓ ତାହାର ବନ୍ଧୁରାଷ୍ଟ୍ର ସମୂହ, ନାଟୋ ସାମରିକ ମେଣ୍ଟ। ଇରାନ ସପକ୍ଷରେ ଅଛନ୍ତି ରୁଷିଆ, ଚୀନ ଓ ଉତ୍ତର କୋରିଆ। ଏ ଚାରିଟି ଯାକ ରାଷ୍ଟ୍ର ହେଉଛନ୍ତି ଆଣବିକ ଶକ୍ତି ସଂପନ୍ନ।
ମଧ୍ୟ ପ୍ରାଚ୍ୟର ଏହି ଭୂରାଜନୀତିକ ଅସ୍ଥିରତା ମଧ୍ୟରେ ଇସ୍ରାଏଲର ପାଲେଷ୍ଟାଇନ, ଲେବାନନ, ସିରିଆ ଓ ଇରାନ ଉପରେ ପ୍ରଚ୍ଛଦ ଆକ୍ରମଣ ଅଧିକ ଜଟିଳ ସମସ୍ୟା ସୃଷ୍ଟି କରିଛି। ଗାଜାର ହମାସ, ଲେବାନନର ହେଜବୁଲ୍ଲା ଓ ୟେମେନର ହୁତି ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଲକ୍ଷ୍ୟରେ ଆକ୍ରମଣ ଚଳାଇଛି ଇସ୍ରାଏଲ। ଲେବାନନରେ ପେଜର ଓ ୱାକିଟକି ବିସ୍ଫୋରଣରେ ଦୁଇ ଶତାଧିକ ଜୀବନ ଯିବା ପରେ ଇସ୍ରାଏଲ ଲେବାନନ ବିରୋଧରେ ସ୍ଥଳଯୁଦ୍ଧ ଆରମ୍ଭ କରିଛି। ଏହାର ଶହଶହ ଟ୍ୟାଙ୍କ ଏବେ ଲେବାନନର ସୀମାନ୍ତ ଅଞ୍ଚଳରେ ଯୁଦ୍ଧ ବିଭୀଷିକା ସୃଷ୍ଟି କରିଛି।
କାହା ସପକ୍ଷରେ ରୁଷିଆ ?
ମଧ୍ୟ ପ୍ରାଚ୍ୟରେ ଏହିଭଳି ଉତ୍ତେଜନା ଲାଗି ରହିଥିଲାବେଳେ ଦୂରପ୍ରାଚ୍ୟରେ ମଧ୍ୟ ଯୁଦ୍ଧ ଉନ୍ମାଦନା ଥମି ନାହିଁ। ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ତୃତୀୟ ବର୍ଷରେ ପଦାର୍ପଣ କରିଛି। ସେଠାରେ ଆମେରିକା ଓ ଏହାର ବନ୍ଧୁ ରାଷ୍ଟ୍ରଗୁଡ଼ିକ ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଚାଲିଛନ୍ତି। ଏବେ ଆମେରିକା ମଧ୍ୟ ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
ଏହି ଉତ୍ତେଜନା ଏତିକିରେ ସୀମିତ ନରହିଲେ ଆଗକୁ ପରିସ୍ଥିତି ଭୟଙ୍କର ହେବାର ଆଶଙ୍କା ରହିଛି। ଆମେରିକା ଓ ନାଟୋ ଯଦି ଇସ୍ରାଏଲ ସପକ୍ଷରେ ସାମରିକ ଅଭିଯାନ ଆରମ୍ଭ କରନ୍ତି ରୁଷ, ଚୀନ ଓ ଉତ୍ତର କୋରିଆ ଇରାନ ସପକ୍ଷରେ ବାହାରିବାର ସମ୍ଭାବନା ରହିଛି। ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଅନେକ କ୍ଷତି ହୋଇସାରିଛି। ଏବେ ମଧ୍ୟ ପ୍ରାଚ୍ୟରେ ସୃଷ୍ଟି ହୋଇଥିବା ସାମରିକ ଉତ୍ତେଜନା ଯୋଗୁଁ ଅଶୋଧିତ ତୈଳ ବଜାର ମଧ୍ୟ ଗରମ ହୋଇଯାଇଛି। ଏଭଳି ପରିସ୍ଥିତି ଲାଗି ରହିଲେ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଦରବୃଦ୍ଧି ଓ ଅଶାନ୍ତି ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। ଯଦି ବିଶ୍ୱର ବୃହତ ଶକ୍ତିଗୁଡ଼ିକ ଏହି ସମୟରେ ପକ୍ଷଭୁକ୍ତ ହୋଇଯାନ୍ତି ଓ ସାମରିକ ଅଭିଯାନ ଆରମ୍ଭ କରନ୍ତି ତେବେ ତାହା ବିଶ୍ୱଯୁଦ୍ଧ ପରିସ୍ଥିତି ସୃଷ୍ଟି କରିପାରେ।