
ଇକନୋମିକ୍ ଓଡ଼ିଶା ଡେସ୍କ; ସମୁଦ୍ର ଭିତରେ ଦାନା ବାନ୍ଧୁଛି ଦାନା। ବଳ ଗୋଟାଇ ନେଉଛି ଭୀଷଣ ବାତ୍ୟାର ରୂପ। ତେବେ ଏହାକୁ ନେଇ ସଜାଗ ରହିଛନ୍ତି ରାଜ୍ୟ ସରକାର। ଓଡ଼ିଶାରେ ବାତ୍ୟାର ଗଭୀର ପ୍ରଭାବ ପଡ଼ିବାକୁ ଥିବାରୁ ଏହାକୁ ନଜରରେ ରଖି ରାଜ୍ୟର 14 ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।
ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସୋମବାର ସ୍କୁଲ ଛୁଟି ନେଇ ଘୋଷଣା କରିଛନ୍ତି। ୨୩ରୁ ୨୫ ତାରିଖ ଯାଏ ସ୍କୁଲ ବନ୍ଦ ରହିବ। ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପ୍ରଭାବିତ ୧୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସେହି ଜିଲ୍ଲାଗୁଡିକ ହେଉଛି ଗଞ୍ଜାମ, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା,ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ। ଏହି ସବୁ ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ।
ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’ ଓଡ଼ିଶାକୁ ପ୍ରଭାବିତ କରିବ। ପୁରୀ-ବାଲେଶ୍ୱର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ରହିପାରେ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବାତ୍ୟା ପାଇଁ ସ୍କୁଲ ବନ୍ଦ ହେବ କି ନାହିଁ, ତାହା ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ସୂଚନା ଦେଇ କହିଥିଲେ। ମନ୍ତ୍ରୀ କହିଥିଲେ, ଜିଲ୍ଲାପାଳମାନଙ୍କୁ ଏଥିପାଇଁ ଅଧିକାର ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନେ ସ୍କୁଲ ଛୁଟି ନିଷ୍ପତ୍ତି ନେବେ। ଯେଉଁଠି ଆବଶ୍ୟକ ପଡ଼ିବ, ଜିଲ୍ଲାପାଳ ସ୍କୁଲ ଛୁଟି ଘୋଷଣା କରିପାରିବେ।